ଅଧ୍ୟୟନ ଲେଖା ୪୭
ପରସ୍ପର ପାଇଁ ପ୍ରେମ କିପରି ବଢ଼ାଇପାରିବା ?
“ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ୱରଙ୍କଠାରୁ ଜାତ ।”—୧ ଯୋହ. ୪:୭.
ଗୀତ ୧୦୯ ଗେହ୍ରା ପ୍ୟାର କରେଁ
ଲେଖାର ଝଲକ a
୧-୨. (କ) ପ୍ରେରିତ ପାଉଲ ଏପରି କାହିଁକି କହିଲେ ଯେ ପ୍ରେମ “ଉତ୍କୃଷ୍ଟ” ଗୁଣ ଅଟେ ? (ଖ) ଆମେ କେଉଁ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରିବା ?
ଥରେ ଯେବେ ପ୍ରେରିତ ପାଉଲ ବିଶ୍ୱାସ, ଆଶା ଓ ପ୍ରେମ ବିଷୟରେ କହୁଥିଲେ, ତେବେ ସେ ଶେଷରେ କହିଲେ, “ଏମାନଙ୍କ ମଧ୍ୟରେ ପ୍ରେମ ଉତ୍କୃଷ୍ଟ ।” (୧ କରି. ୧୩:୧୩) ପାଉଲ ଏପରି କାହିଁକି କହିଲେ ? ଭବିଷ୍ୟତରେ ଆମକୁ ନୂଆ ଦୁନିଆ ବିଷୟରେ ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ବିଶ୍ୱାସ କରିବା ଓ ତାହା ପୂରା ହେବାର ଆଶା ରଖିବାକୁ ପଡ଼ିବନି, କାରଣ ସେସମୟ ଯାଏଁ ଏସବୁ ପ୍ରତିଜ୍ଞା ପୂରା ହୋଇସାରିଥିବ । କିନ୍ତୁ ଆମକୁ ଯିହୋବା ଓ ତାଙ୍କ ଲୋକମାନଙ୍କୁ ସବୁଦିନ ଯାଏଁ ପ୍ରେମ କରିବାକୁ ପଡ଼ିବ । ପ୍ରକୃତରେ ତାଙ୍କ ପାଇଁ ଆମ ପ୍ରେମ ଦିନକୁ ଦିନ ଆହୁରି ଗଭୀର ହୋଇଯିବ ।
୨ ଆମକୁ ସବୁଦିନ ଅନ୍ୟମାନଙ୍କୁ ପ୍ରେମ କରିବାର ଅଛି । ତେବେ ଆସନ୍ତୁ ଏହି ତିନୋଟି ପ୍ରଶ୍ନ ଉପରେ ଧ୍ୟାନ ଦେବା: (୧) ଆମେ ପରସ୍ପରକୁ କାହିଁକି ପ୍ରେମ କରିବା ଉଚିତ୍ ? (୨) ଆମେ ପରସ୍ପରକୁ କିପରି ପ୍ରେମ ଦେଖାଇପାରିବା ? ଏବଂ (୩) ଆମେ ପରସ୍ପର ପାଇଁ କିପରି ପ୍ରେମ ବଢ଼ାଇପାରିବା ?
ପରସ୍ପରକୁ ପ୍ରେମ କରିବା କାହିଁକି ଜରୁରୀ ?
୩. ଆମେ ପରସ୍ପରକୁ କାହିଁକି ପ୍ରେମ କରିବା ଉଚିତ୍ ?
୩ ଆମେ ପରସ୍ପରକୁ ପ୍ରେମ କରିବା କାହିଁକି ଜରୁରୀ ? ଏହାର ଅନେକ କାରଣ ରହିଛି । ପ୍ରଥମ କାରଣ ହେଉଛି ଯେ ପ୍ରେମ ସତ୍ୟ ଖ୍ରୀଷ୍ଟିୟାନମାନଙ୍କ ପରିଚୟ ଅଟେ । ଯୀଶୁ ନିଜ ପ୍ରେରିତମାନଙ୍କୁ କହିଥିଲେ, “ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଦ୍ୱାରା ଜ୍ଞାତ ହେବେ ।” (ଯୋହ. ୧୩:୩୫) ଏହାଛଡ଼ା, ଯେବେ ଆମେ ପରସ୍ପରକୁ ପ୍ରେମ କରୁ, ତେବେ ଆମ ମଧ୍ୟରେ ଏକତା ବଜାୟ ରହେ । ପାଉଲ କହିଲେ, ପ୍ରେମ “ଏକତାରେ ଏକାଠି ବାନ୍ଧି ରଖେ ।” (କଲ. ୩:୧୪, ଇଜି-ଟୁ-ରିଡ୍ ଭର୍ସନ) କିନ୍ତୁ ପରସ୍ପରକୁ ପ୍ରେମ କରିବାର ଆଉ ଗୋଟିଏ ବିଶେଷ କାରଣ ରହିଛି । ପ୍ରେରିତ ଯୋହନ ଖ୍ରୀଷ୍ଟିୟାନମାନଙ୍କୁ କହିଲେ, “ଯେ ଈଶ୍ୱରଙ୍କୁ ପ୍ରେମ କରେ, ସେ ଆପଣା ଭାଇକୁ ମଧ୍ୟ ପ୍ରେମ କରୁ ।” (୧ ଯୋହ. ୪:୨୧) ଏହାର ଅର୍ଥ ଯେବେ ଆମେ ପରସ୍ପରକୁ ପ୍ରେମ କରୁ, ତେବେ ଏଥିରୁ ଜଣାପଡ଼େ ଯେ ଆମେ ଈଶ୍ୱରଙ୍କୁ ପ୍ରେମ କରୁ ।
୪-୫. ଈଶ୍ୱରଙ୍କ ପାଇଁ ପ୍ରେମ ଓ ଅନ୍ୟମାନଙ୍କ ପାଇଁ ପ୍ରେମରେ କʼଣ ସମ୍ପର୍କ ଅଛି ? ଉଦାହରଣ ଦେଇ ବୁଝାନ୍ତୁ ।
୪ ଈଶ୍ୱରଙ୍କ ପାଇଁ ଆମ ପ୍ରେମ ଓ ଭାଇଭଉଣୀଙ୍କ ପାଇଁ ଆମ ପ୍ରେମ ମଧ୍ୟରେ କʼଣ ସମ୍ପର୍କ ଅଛି ? ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଆମ ହୃଦୟର ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ସହ କʼଣ ସମ୍ପର୍କ ଅଛି । ଯେବେ ଜଣେ ଡାକ୍ତର ଆମ ହାତର ନାଡ଼ିକୁ ଧରି ଦେଖନ୍ତି, ତେବେ ସେ ଟିକେ ଅନୁମାନ ଲଗାଇପାରନ୍ତି ଯେ ଆମ ହୃଦୟ ସୁସ୍ଥ ଅଛି ନା ନାହିଁ । ଠିକ୍ ସେହିପରି ପ୍ରେମ ବିଷୟରେ ବି ଅଟେ ।
୫ ଯେବେ ଡାକ୍ତର ଆମ ନାଡ଼ି ଧରି ଦେଖନ୍ତି, ତେବେ ତାଙ୍କୁ ଜଣାପଡ଼ିଯାଏ ଯେ ଆମ ହୃଦୟ କେତେ ସୁସ୍ଥ ଅଛି । ସେହିପରି ଯେବେ ଆମେ ଏହା ଦେଖୁ ଯେ ଭାଇଭଉଣୀମାନଙ୍କୁ ଆମେ କେତେ ପ୍ରେମ କରୁ, ତେବେ ଆମକୁ ଜଣାପଡ଼ିପାରେ ଯେ ଈଶ୍ୱରଙ୍କ ପାଇଁ ଆମ ପ୍ରେମ କେତେ ଗଭୀର ଅଛି । ଯଦି ଆମକୁ ଅନୁଭବ ହୁଏ ଯେ ଭାଇଭଉଣୀମାନଙ୍କ ପାଇଁ ଆମ ପ୍ରେମ କମ୍ ହୋଇଯାଉଛି, ତେବେ ଏହାର ଅର୍ଥ ହେଉଛି ଯେ ହୁଏତ ଈଶ୍ୱରଙ୍କ ପାଇଁ ଆମ ପ୍ରେମ କମ୍ ହେବାକୁ ଲାଗିଛି । କିନ୍ତୁ ଯଦି ଆମେ ଭାଇଭଉଣୀମାନଙ୍କୁ ପ୍ରେମ କରିବା ଜାରି ରଖୁ, ତେବେ ଏଥିରୁ ଜଣାପଡ଼ିବ ଯେ ଆମେ ଈଶ୍ୱରଙ୍କୁ ମଧ୍ୟ ବହୁତ ପ୍ରେମ କରୁ ।
୬. ଯଦି ଭାଇଭଉଣୀମାନଙ୍କ ପାଇଁ ଆମ ପ୍ରେମ କମ୍ ହେବାକୁ ଲାଗିଛି, ତେବେ ଏହା କାହିଁକି ଗୋଟିଏ ବଡ଼ ସମସ୍ୟା ଅଟେ ? (୧ ଯୋହନ ୪:୭-୯, ୧୧)
୬ ଯଦି ଭାଇଭଉଣୀଙ୍କ ପାଇଁ ଆମ ପ୍ରେମ କମ୍ ହେବାକୁ ଲାଗିଛି, ତେବେ ଏହା ଗୋଟିଏ ବଡ଼ ସମସ୍ୟା ଅଟେ । କାରଣ ତାʼଅର୍ଥ ଏହା ହେବ ଯେ ଈଶ୍ୱରଙ୍କ ସହ ଆମ ସମ୍ପର୍କ ଦୁର୍ବଳ ହେବାକୁ ଲାଗିଛି । ଯୋହନ ବି ଏବିଷୟରେ କହିଥିଲେ । ସେ ଲେଖିଲେ, “ଯେଣୁ ଯେଉଁ ଭାଇକୁ ଦେଖିଅଛି, ଯଦି ତାହାକୁ କେହି ପ୍ରେମ ନ କରେ, ତାହାହେଲେ ଯେଉଁ ଈଶ୍ୱରଙ୍କୁ ସେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରି ପାରେ ନାହିଁ ।” (୧ ଯୋହ. ୪:୨୦) ଏଥିରୁ ଆମେ କʼଣ ଶିଖୁ ? ଏହା ଯେ ଯେବେ ଆମେ ‘ପରସ୍ପରକୁ ପ୍ରେମ କରିବା,’ ତେବେ ଯାଇ ଯିହୋବା ଆମଠାରୁ ଖୁସି ହେବେ ।—୧ ଯୋହନ ୪:୭-୯, ୧୧ ପଢ଼ନ୍ତୁ ।
ପରସ୍ପରକୁ ପ୍ରେମ କିପରି ଦେଖାଇପାରିବା ?
୭-୮. ଆମେ କିପରି ଦେଖାଇପାରିବା ଯେ ଆମେ ପରସ୍ପରକୁ ପ୍ରେମ କରୁ ?
୭ ଈଶ୍ୱରଙ୍କ ବାକ୍ୟରେ ଅନେକଥର ଆମକୁ କୁହାଯାଇଛି ଯେ ଆମେ ‘ପରସ୍ପରକୁ ପ୍ରେମ କରିବା ଉଚିତ୍ ।’ (ଯୋହ. ୧୫:୧୨, ୧୭; ରୋମୀ. ୧୩:୮; ୧ ଥେସ. ୪:୯; ୧ ପିତ. ୧:୨୨; ୧ ଯୋହ. ୪:୧୧) ହୋଇପାରେ, ଭାଇଭଉଣୀମାନଙ୍କ ପାଇଁ ଆମ ହୃଦୟରେ ପ୍ରେମ ଥିବ । କିନ୍ତୁ କେହି ବି ଆମ ହୃଦୟ କଥା ଜାଣିପାରିବେ ନାହିଁ ଯେ ଆମେ ଅନ୍ୟମାନଙ୍କୁ ପ୍ରେମ କରୁଛୁ ନା ନାହିଁ । ତାହେଲେ ଆମେ ଅନ୍ୟମାନଙ୍କ ପାଇଁ ନିଜ ପ୍ରେମ କିପରି ଦେଖାଇପାରିବା ? ନିଜ କଥା ଓ ବ୍ୟବହାରରୁ ।
୮ ଆମେ ଅନେକ ଉପାୟରୁ ଦେଖାଇପାରିବା ଯେ ଆମେ ନିଜ ଭାଇଭଉଣୀମାନଙ୍କୁ ପ୍ରେମ କରୁ । ଯେପରି ବାଇବଲରେ ଆମକୁ କୁହାଯାଇଛି: ‘ପରସ୍ପରକୁ ସତ୍ୟ କହ ।’ (ଯିଖ. ୮:୧୬) “ପରସ୍ପର ସହିତ ଶାନ୍ତିରେ ରୁହ ।” (ମାର୍କ ୯:୫୦) “ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର ।” (ରୋମୀ. ୧୨:୧୦) “ପରସ୍ପରକୁ ଗ୍ରହଣ କର ।” (ରୋମୀ. ୧୫:୭) “ଏକକୁଆରେକ କ୍ଷମା କର ।” (କଲ. ୩:୧୩) “ପରସ୍ପରର ଭାର ବହନ କର ।” (ଗାଲା. ୬:୨) “ପରସ୍ପରକୁ ସାନ୍ତ୍ୱନା ଦିଅ ।” (୧ ଥେସ. ୪:୧୮) “ପରସ୍ପରର ନିଷ୍ଠା ଜନ୍ମାଅ ।” (୧ ଥେସ. ୫:୧୧) ଏବଂ “ପରସ୍ପର ପାଇଁ ପ୍ରାର୍ଥନା କର ।”—ଯାକୁ. ୫:୧୬.
୯. ଆମେ ଏପରି କାହିଁକି କହିପାରିବା ଯେ ଅନ୍ୟମାନଙ୍କୁ ସାନ୍ତ୍ୱନା ଦେବା ପ୍ରେମ ଦେଖାଇବାର ଗୋଟିଏ ବିଶେଷ ଉପାୟ ଅଟେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୯ ଆମେ ପୂର୍ବ ପାରାଗ୍ରାଫରେ ପ୍ରେମ ଦେଖାଇବାର ଯେଉଁ ଉପାୟଗୁଡ଼ିକ ଦେଖିଲୁ, ସେମଧ୍ୟରୁ ଆସନ୍ତୁ ଗୋଟିଏ ଉପାୟ ଉପରେ ଧ୍ୟାନ ଦେବା । ଆମେ ପାଉଲଙ୍କ ଏହି ପରାମର୍ଶ ଉପରେ ଧ୍ୟାନ ଦେବା: “ପରସ୍ପରକୁ ସାନ୍ତ୍ୱନା ଦିଅ ।” ସାନ୍ତ୍ୱନା ଦେବା ପ୍ରେମ ଦେଖାଇବାର ଗୋଟିଏ ବିଶେଷ ଉପାୟ ଅଟେ । ଆମେ ଏପରି କାହିଁକି କହିପାରିବା ? ଗୋଟିଏ ବହିରେ ବାଇବଲର ଏହି ପଦ ବିଷୟରେ କିଛି ଏପରି କୁହାଯାଇଛି: ଯେଉଁ ଶବ୍ଦର ଅନୁବାଦ ‘ସାନ୍ତ୍ୱନା ଦିଅ’ କରାଯାଇଛି, ତାʼଅର୍ଥ “ଜଣେ ଏପରି ବ୍ୟକ୍ତି ପାଖରେ ଠିଆ ହୋଇ ତାକୁ ସାନ୍ତ୍ୱନା ଦେବା, ଯିଏ କୌଣସି ସମସ୍ୟାର ସାମନା କରୁଛି ।” ଯେବେ ନିରାଶ ଥିବା ଭାଇଭଉଣୀଙ୍କୁ ଆମେ ସାନ୍ତ୍ୱନା ଦେଉ, ତେବେ ଆମେ ସେମାନଙ୍କୁ ଲଗାତାର ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରିବା ପାଇଁ ସାହାଯ୍ୟ କରୁ । ପ୍ରତିଥର ଯେବେ ଆମେ କୌଣସି ଏପରି ଭାଇ କିମ୍ବା ଭଉଣୀଙ୍କୁ ସାନ୍ତ୍ୱନା ଦେଉ ଯିଏ ପୂରାପୂରି ଭାଙ୍ଗି ଯାଇଛନ୍ତି, ତେବେ ତାଙ୍କ ପାଇଁ ଆମେ ପ୍ରେମ ଦେଖାଉ ।—୨ କରି. ୭:୬, ୭, ୧୩.
୧୦. ଅନ୍ୟମାନଙ୍କୁ ସାନ୍ତ୍ୱନା ଦେବା ପାଇଁ କରୁଣାର ଭାବନା ହେବା କାହିଁକି ଜରୁରୀ ? ବୁଝାନ୍ତୁ ।
୧୦ କାହାରିକୁ ସାନ୍ତ୍ୱନା ଦେବା ପାଇଁ ସବୁଠୁ ଆଗ ଆମ ହୃଦୟରେ ତାଙ୍କ ପାଇଁ କରୁଣାର ଭାବନା ହେବା ଜରୁରୀ । ତାହା କାହିଁକି ? କାରଣ ଯେଉଁ ବ୍ୟକ୍ତି କାହାରିକୁ କଷ୍ଟରେ ଦେଖି କରୁଣାରେ ଭରିଯାଏ, ସେ ହିଁ ସେହି ବ୍ୟକ୍ତିକୁ ସାହାଯ୍ୟ କରିବା କିମ୍ବା ସାନ୍ତ୍ୱନା ଦେବା ପାଇଁ ଆଗକୁ ଆସେ । ତାʼଅର୍ଥ ଯେବେ ଆମେ ଅନୁଭବ କରିବା ଯେ ଆମ ଭାଇଭଉଣୀଙ୍କ ଉପରେ କʼଣ ଘଟୁଛି କିମ୍ବା ତାଙ୍କ ପାଇଁ ଆମ ହୃଦୟରେ କରୁଣା ଥିବ, ତେବେ ହିଁ ଆମେ ତାଙ୍କୁ ସାନ୍ତ୍ୱନା ଦେଇପାରିବା । ପାଉଲ ଯିହୋବାଙ୍କ ବିଷୟରେ କିଛି ଏପରି ହିଁ କହିଲେ । ସେ ଲେଖିଲେ ଯେ ଯିହୋବା “ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର ।” (୨ କରି. ୧:୩) ଏଠାରେ ‘ଦୟାମୟର’ ଅର୍ଥ ହେଉଛି, ଅନ୍ୟମାନଙ୍କ ପାଇଁ କରୁଣା ଅନୁଭବ କରିବା । ପାଉଲ ଯିହୋବାଙ୍କୁ “ଦୟାମୟ ପିତା” କହିଲେ, କାରଣ କରୁଣାର ଆରମ୍ଭ ତାଙ୍କଠାରୁ ହିଁ ହୋଇଛି । କରୁଣା ଥିବା ଯୋଗୁଁ ହିଁ ଈଶ୍ୱର “ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ଆମ୍ଭମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି ।” (୨ କରି. ୧:୪) ଯେପରି ଭାବେ କୌଣସି ପାଣିର ଉତ୍ସରୁ ପାଣି ପିଇବା ଦ୍ୱାରା ଶୋଷିଲା ଲୋକକୁ ସତେଜତା ମିଳେ, ଠିକ୍ ସେହିପରି ଯିହୋବା ଦୁଃଖି କିମ୍ବା ନିରାଶ ଲୋକଙ୍କୁ ଯେଉଁ ସାନ୍ତ୍ୱନା ଦିଅନ୍ତି, ସେଥିରୁ ସେମାନଙ୍କୁ ସତେଜତା ମିଳେ । ଯିହୋବାଙ୍କ ଭଳି ଆମ ହୃଦୟରେ ମଧ୍ୟ ଲୋକମାନଙ୍କ ପାଇଁ କରୁଣାର ଭାବନା ହେବା ଉଚିତ୍ ଆଉ ଆମେ ତାଙ୍କୁ ସାନ୍ତ୍ୱନା ଦେବା ଉଚିତ୍ । ଆମେ ଏହା କିପରି କରିପାରିବା ? ଏହାର ଗୋଟିଏ ଉପାୟ ହେଉଛି ଯେ ଆମେ ନିଜଠାରେ ଏପରି ଗୁଣ ବଢ଼ାଇବା ଯେଉଁଥିରୁ ଅନ୍ୟମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଆମକୁ ଇଚ୍ଛା ହେବ । ଆସନ୍ତୁ ଦେଖିବା ଯେ ଏହି ଗୁଣଗୁଡ଼ିକ କʼଣ ଅଟେ ।
୧୧. ଅନ୍ୟମାନଙ୍କୁ ପ୍ରେମ କରିବା ଓ ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଆମକୁ ଆଉ କେଉଁ ଗୁଣ ବଢ଼ାଇବାକୁ ପଡ଼ିବ ? (କଲସୀୟ ୩:୧୨; ୧ ପିତର ୩:୮)
୧୧ ପରସ୍ପରକୁ ପ୍ରେମ କରିବା ଏବଂ ଲଗାତାର ‘ପରସ୍ପରକୁ ସାନ୍ତ୍ୱନା ଦେବା’ ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? ଆମକୁ ପରସ୍ପରର ସୁଖଦୁଃଖର ସହଭାଗୀ ହେବାକୁ ପଡ଼ିବ, ଭ୍ରାତୃପ୍ରେମୀ ହେବା, କୃପା ଦେଖାଇବା ଏବଂ ଅନ୍ୟମାନଙ୍କ ପାଇଁ ନିଜ ହୃଦୟରେ କରୁଣା ଅନୁଭବ କରିବାକୁ ପଡ଼ିବ । (କଲସୀୟ ୩:୧୨; ୧ ପିତର ୩:୮ ପଢ଼ନ୍ତୁ ।) ଯେବେ ଆମଠାରେ କରୁଣାର ଭାବନା ଥିବ, ତେବେ ଆମେ ଭାଇଭଉଣୀମାନଙ୍କୁ କଷ୍ଟରେ ଦେଖି ତୁରନ୍ତ ସେମାନଙ୍କୁ ସାନ୍ତ୍ୱନା ଦେବା । ଯୀଶୁ ବି କହିଥିଲେ, “ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ । ଉତ୍ତମ ଲୋକ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ ।” (ମାଥି. ୧୨:୩୪, ୩୫) ଯେଉଁ ଭାଇଭଉଣୀମାନେ କୌଣସି କଷ୍ଟରେ ଅଛନ୍ତି, ସେମାନଙ୍କୁ ସାନ୍ତ୍ୱନା ଦେବା ବହୁତ ଜରୁରୀ । ଏଥିରୁ ସେମାନେ ଜାଣିପାରନ୍ତି ଯେ ଆମେ ସେମାନଙ୍କୁ ବହୁତ ପ୍ରେମ କରୁ ।
ପରସ୍ପର ପାଇଁ ପ୍ରେମ କିପରି ବଢ଼ାଇପାରିବା ?
୧୨. (କ) ଆମକୁ କାହିଁକି ସାବଧାନ ରହିବା ଉଚିତ୍ ? (ଖ) ଏବେ ଆମେ କେଉଁ ପ୍ରଶ୍ନ ଉପରେ ଧ୍ୟାନ ଦେବା ?
୧୨ ଆମେ ସମସ୍ତେ ଚାହୁଁ ଯେ “ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ ।” (୧ ଯୋହ. ୪:୭) କିନ୍ତୁ ଆମକୁ ମନେରଖିବା ଉଚିତ୍ ଯେ ଯୀଶୁ କହିଥିଲେ, ଏପରି ସମୟ ଆସିବ ଯେବେ “ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ ।” (ମାଥି. ୨୪:୧୨) ଯୀଶୁଙ୍କ କହିବାର ଅର୍ଥ ଏହା ନ ଥିଲା ଯେ ତାଙ୍କ ଅନେକ ଶିଷ୍ୟଙ୍କ ପ୍ରେମ କମ୍ ହୋଇଯିବ । କିନ୍ତୁ ଆଜି ଦୁନିଆରେ ଲୋକଙ୍କ ପ୍ରେମ ଶେଷ ହେବାରେ ଲାଗିଛି । ତେଣୁ ସାବଧାନ ରହିବା ଉଚିତ୍ ଯେ ଆମେ ବି ସେମାନଙ୍କ ଭଳି ନ ହୋଇଯାଉ । ଆସନ୍ତୁ ଏହି ଜରୁରୀ ପ୍ରଶ୍ନ ଉପରେ ଧ୍ୟାନ ଦେବା: ଆମେ କିପରି ଜାଣିପାରିବା ଯେ ଆମେ ନିଜ ଭାଇଭଉଣୀମାନଙ୍କୁ କେତେ ପ୍ରେମ କରୁ ?
୧୩. ଆମେ କିପରି ଜାଣିପାରିବା ଯେ ଆମେ ଭାଇଭଉଣୀମାନଙ୍କୁ କେତେ ପ୍ରେମ କରୁ ?
୧୩ ଆମେ ଭାଇଭଉଣୀମାନଙ୍କୁ କେତେ ପ୍ରେମ କରୁ, ଏହା ଜାଣିବାର ଗୋଟିଏ ଉପାୟ ହେଉଛି, ଏହି କଥା ଉପରେ ଧ୍ୟାନ ଦେବା ଯେ କିଛି ପରିସ୍ଥିତିରେ ଆମ ବ୍ୟବହାର କିପରି ଥାଏ । (୨ କରି. ୮:୮) ଏପରି ହିଁ ଗୋଟିଏ ପରିସ୍ଥିତି ବିଷୟରେ ପ୍ରେରିତ ପିତର କହିଲେ । ସେ କହିଲେ, “ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ ।” (୧ ପିତ. ୪:୮) ଏହାର ଅର୍ଥ, ଯେବେ ଆମ ଭାଇଭଉଣୀଙ୍କ ଦ୍ୱାରା କୌଣସି ଭୁଲ ହୋଇଯାଏ କିମ୍ବା ସେମାନେ ଏପରି କିଛି କରନ୍ତି ଯାହା ଆମକୁ ବହୁତ ଖରାପ ଲାଗେ, ତେବେ ଆମ ବ୍ୟବହାରରୁ ଜଣାପଡ଼ିପାରେ ଯେ ଆମେ ତାଙ୍କୁ କେତେ ପ୍ରେମ କରୁ ।
୧୪. ୧ ପିତର ୪:୮ ପଦ ଅନୁସାରେ ଆମେ ଭାଇଭଉଣୀମାନଙ୍କୁ କିପରି ପ୍ରେମ କରିବା ଉଚିତ୍ ? ବୁଝାନ୍ତୁ ।
୧୪ ଏବେ ଆସନ୍ତୁ ପିତରଙ୍କ ଶବ୍ଦଗୁଡ଼ିକ ଉପରେ ଆହୁରି ଭଲଭାବେ ଧ୍ୟାନ ଦେବା । ପଦ ୮ର ପ୍ରଥମ ଭାଗରେ ପିତର କହିଲେ ଯେ ଆମେ ପରସ୍ପରକୁ “ପ୍ରଗାଢ଼ ପ୍ରେମ” କରିବା ଉଚିତ୍ । ଏଠାରେ ପିତର ଯେଉଁ ପ୍ରେମ ବିଷୟରେ କହିଲେ, ତାହା ପାଇଁ ଯେଉଁ ଗ୍ରୀକ୍ ଶବ୍ଦର ବ୍ୟବହାର ହୋଇଛି, ତାହାର ଅର୍ଥ ହେଉଛି, “ଟାଣି ପ୍ରସାରିତ କରାଗଲା ।” ପଦର ଦ୍ୱିତୀୟ ଭାଗରେ କୁହାଯାଇଛି ଯେ ଯେବେ ଆମେ ଭାଇଭଉଣୀମାନଙ୍କୁ ଏପରି ପ୍ରେମ କରୁ, ତେବେ କʼଣ ହୁଏ । ଏହା ସେମାନଙ୍କ ପାପକୁ ଢାଙ୍କି ଦିଏ । ଏହା ଏପରି ଅଟେ ଯେପରିକି ଆପଣ ନିଜ ଦୁଇ ହାତରୁ ପ୍ରେମର ଗୋଟିଏ ଏପରି କପଡ଼ା ଧରିଛନ୍ତି, ଯାହାକୁ ଟଣା ଯାଇପାରେ । ଆପଣ ତାହାକୁ ଏତେ ପ୍ରସାରିତ କରନ୍ତି ଯେ ତାହା ଅନ୍ୟମାନଙ୍କ କେବଳ ଗୋଟେ କିମ୍ବା ଦୁଇଟି ପାପକୁ ନୁହେଁ, ବରଂ ‘ବହୁଳ ପାପକୁ’ ଢାଙ୍କି ଦିଏ । ଯେବେ ପିତର ପାପଗୁଡ଼ିକୁ ଢାଙ୍କି ଦେବା ବିଷୟରେ କହିଲେ, ତେବେ ଏହାର ଅର୍ଥ ଥିଲା ଅନ୍ୟମାନଙ୍କ ପାପକୁ କ୍ଷମା କରିବା । ଠିକ୍ ଯେପରି କପଡ଼ା ବିଛାଇବା ଦ୍ୱାରା ଦାଗଗୁଡ଼ିକ ଢାଙ୍କି ହୋଇଯାଏ, ସେହିପରି ପ୍ରେମ ଦ୍ୱାରା ଆମେ ଅନ୍ୟମାନଙ୍କ ଦୁର୍ବଳତା ଓ ତୃଟିଗୁଡ଼ିକୁ ଢାଙ୍କିପାରିବା ।
୧୫. ଯଦି ଆମେ ଭାଇଭଉଣୀମାନଙ୍କୁ ବହୁତ ପ୍ରେମ କରୁ, ତେବେ ଆମେ କʼଣ କରିପାରିବା ? (କଲସୀୟ ୩:୧୩)
୧୫ ଭାଇଭଉଣୀମାନଙ୍କୁ ଏତେ ପ୍ରେମ କରିବା ଉଚିତ୍ ଯେ ଆମେ ସେମାନଙ୍କ ଭୁଲଗୁଡ଼ିକୁ କ୍ଷମା କରିପାରିବା, ସେସମୟରେ ବି ଯେବେ ଆମକୁ ଏପରି କରିବା କଠିନ ଲାଗେ । (କଲସୀୟ ୩:୧୩ ପଢ଼ନ୍ତୁ ।) ଯେବେ ଆମେ ଭାଇଭଉଣୀମାନଙ୍କୁ କ୍ଷମା କରୁ, ତେବେ ଏଥିରୁ ଜଣାପଡ଼େ ଯେ ଆମେ ତାଙ୍କୁ ବହୁତ ପ୍ରେମ କରୁ ଏବଂ ଯିହୋବାଙ୍କୁ ବି ଖୁସି କରିବାକୁ ଚାହୁଁ । ଏହାଛଡ଼ା ଆମେ ଆଉ କʼଣ କରିପାରିବା, ଯାହାଦ୍ୱାରା ଭାଇଭଉଣୀମାନଙ୍କୁ ଆମେ କ୍ଷମା କରିପାରିବା ଏବଂ ସେମାନଙ୍କ ଯେଉଁ କଥାଗୁଡ଼ିକରୁ ଆମେ ବିରକ୍ତ ହୋଇଯାଉ ସେଗୁଡ଼ିକୁ ଅଣଦେଖା କରିପାରିବା । ଆସନ୍ତୁ ଦେଖିବା ।
୧୬-୧୭. କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିବା ଦ୍ୱାରା ଆମେ ଅନ୍ୟମାନଙ୍କ ଛୋଟ ଛୋଟ ଭୁଲଗୁଡ଼ିକୁ ଅଣଦେଖା କରିପାରିବା ? ବୁଝାନ୍ତୁ । (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୬ ଭାଇଭଉଣୀଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ, ଦୁର୍ବଳତାଗୁଡ଼ିକ ଉପରେ ନୁହେଁ । ଟିକେ ଏବିଷୟରେ ଭାବନ୍ତୁ । କିଛି ଭାଇଭଉଣୀ ଏକାଠି ହୋଇଛନ୍ତି ଆଉ ଆପଣ ବି ସେଠାରେ ଅଛନ୍ତି ଏବଂ ସମସ୍ତେ ମଜା କରୁଛନ୍ତି । ସମସ୍ତଙ୍କ ଯିବା ପୂର୍ବରୁ ଆପଣ ସମସ୍ତଙ୍କ ସହିତ ଫଟୋ ଉଠାନ୍ତି । କିନ୍ତୁ ଆପଣ ଗୋଟେ ନୁହେଁ ବରଂ ଦୁଇ କିମ୍ବା ତିନୋଟି ଫଟୋ ଉଠାନ୍ତି, ଯାହାଦ୍ୱାରା ଯଦି କୌଣସି ଫଟୋ ଭଲ ନ ଥାଏ, ତେବେ ଆପଣଙ୍କ ପାଖରେ କୌଣସି ନା କୌଣସି ଗୋଟିଏ ଫଟୋ ତ ଭଲ ଥିବ । ପରେ ଯେବେ ଆପଣ ଫଟୋ ଦେଖନ୍ତି, ତେବେ ଧ୍ୟାନ ଦିଅନ୍ତି ଯେ ଗୋଟିଏ ଫଟୋରେ ଜଣେ ଭାଇଙ୍କ ଫଟୋ ଭଲ ଆସିନି । ତେବେ ଆପଣ କʼଣ କରନ୍ତି ? ଆପଣ ସେହି ଫଟୋକୁ ଡିଲିଟ କରିଦିଅନ୍ତି, କାରଣ ଆପଣଙ୍କ ପାଖରେ ଆଉ ଦୁଇଟି ଫଟୋ ଅଛି ଯେଉଁଥିରେ ଭାଇ ଓ ସମସ୍ତେ ଭଲ ଦେଖା ଯାଉଛନ୍ତି ।
୧୭ ଆମେ ଯେଉଁ ଫଟୋଗୁଡ଼ିକୁ ଯତ୍ନ କରି ରଖୁ, ତାହା ସେହି ଭଲ ସ୍ମୃତି ଭଳି ଅଟେ ଯାହାକୁ ଆମେ ସବୁଦିନ ସମ୍ଭାଳି ରଖୁ । ଆମେ ଭାଇଭଉଣୀମାନଙ୍କ ସହିତ ଯେଉଁ ସମୟ ବିତାଉ, ତାହାର ଆମ ପାଖରେ ଅନେକ ଭଲ ସ୍ମୃତି ରହେ । କିନ୍ତୁ ଭାବନ୍ତୁ, ଏପରି ହିଁ ସମୟରେ ଥରେ ଜଣେ ଭାଇ କିମ୍ବା ଭଉଣୀ ଏପରି କିଛି କରିଦିଅନ୍ତି, ଯାହା ଆପଣଙ୍କୁ ବହୁତ ଖରାପ ଲାଗେ । ତେବେ ଆପଣ କʼଣ କରିବେ ? ଭଲ ହେବ ଯେ ଆପଣ ତାହା ଭୁଲିଯାʼନ୍ତୁ ଯେପରି ଆମେ ଖରାପ ଫଟୋ ଡିଲିଟ କରିଦେଉ । (ହିତୋ. ୧୯:୧୧; ଏଫି. ୪:୩୨) ଆମେ ସେହି ଭାଇଙ୍କ ଛୋଟ ଛୋଟ ଭୁଲଗୁଡ଼ିକୁ ଭୁଲିପାରିବା କିମ୍ବା ସେହି ଦୁଃଖ ପହଞ୍ଚାଉ ଥିବା ସ୍ମୃତିକୁ ଡିଲିଟ କରିପାରିବା, କାରଣ ଆମ ପାଖରେ ସେହି ଭାଇଙ୍କ ସହ ବିତାଇଥିବା ଅନେକ ଭଲ ସ୍ମୃତି ଅଛି । ଆଉ ଆମେ ସମସ୍ତେ ଏପରି ହିଁ ଭଲ ସ୍ମୃତିଗୁଡ଼ିକୁ ସମ୍ଭାଳି ରଖିବାକୁ ଚାହୁଁ !
ଆଜି ଆମେ ପରସ୍ପରକୁ ଲଗାତାର ପ୍ରେମ କରିବା କାହିଁକି ଜରୁରୀ ?
୧୮. ଏହି ଲେଖାରେ ଆମେ ପ୍ରେମ କରିବାର କେଉଁ ବିଶେଷ କଥାଗୁଡ଼ିକୁ ଜାଣିଲୁ ?
୧୮ ଆମେ କାହିଁକି ପରସ୍ପରକୁ ଲଗାତାର ପ୍ରେମ କରିବା ଉଚିତ୍ ? ଯେପରି ଏହି ଲେଖାରେ ଆମେ ଦେଖିଲୁ ଯେ ଯେବେ ଆମେ ଭାଇଭଉଣୀମାନଙ୍କୁ ପ୍ରେମ କରୁ, ତେବେ ଏଥିରୁ ଜଣାପଡ଼େ ଯେ ଆମେ ଯିହୋବାଙ୍କୁ ପ୍ରେମ କରୁ । ଭାଇଭଉଣୀମାନଙ୍କ ପାଇଁ ଆମେ ନିଜ ପ୍ରେମ କିପରି ଦେଖାଇପାରିବା ? ଏହାର ଗୋଟିଏ ଉପାୟ ହେଉଛି, ଆମେ ପରସ୍ପରକୁ ସାନ୍ତ୍ୱନା ଦେବା । ଆଉ ଆମେ ତେବେ ହିଁ “ପରସ୍ପରକୁ ସାନ୍ତ୍ୱନା” ଦେଉଥିବା, ଯେବେ ଆମ ହୃଦୟରେ କରୁଣାର ଭାବନା ଥିବ । ଆଉ ଆମେ ପରସ୍ପର ପ୍ରତି ନିଜ ପ୍ରେମ କିପରି ବଢ଼ାଇପାରିବା ? ଅନ୍ୟମାନଙ୍କୁ କ୍ଷମା କରି, ସେସମୟରେ ବି ଯେବେ ଏପରି କରିବା ଆମକୁ କଠିନ ଲାଗେ ।
୧୯. ଆଜି ପରସ୍ପରକୁ ପ୍ରେମ କରିବା କାହିଁକି ଆହୁରି ଜରୁରୀ ଅଟେ ?
୧୯ ବିଶେଷକରି ଆଜି ଆଗ ଅପେକ୍ଷା ପରସ୍ପରକୁ ପ୍ରେମ କରିବା ବହୁତ ଜରୁରୀ । ତାହା କାହିଁକି ? ଧ୍ୟାନ ଦିଅନ୍ତୁ ଯେ ପିତର ଏହାର କʼଣ କାରଣ କହିଲେ । ସେ ଲେଖିଲେ, “ସମସ୍ତ ବିଷୟର ଅନ୍ତିମକାଳ ସନ୍ନିକଟ । . . . ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ ।” (୧ ପିତ. ୪:୭, ୮) ଆଉ ଯେପରି ଏହି ଦୁଷ୍ଟ ଦୁନିଆର ବିନାଶ ପାଖେଇ ଆସୁଛି, ପରିସ୍ଥିତି ଆହୁରି ଖରାପ ହୋଇଯିବ । ଯୀଶୁ ମଧ୍ୟ ନିଜ ଶିଷ୍ୟମାନଙ୍କୁ କହିଥିଲେ, “ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ ।” (ମାଥି. ୨୪:୯) ଆଉ ଶୟତାନ ଲଗାତାର ଆମ ସମ୍ପର୍କକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବ । ଏସବୁର ସାମନା ଆମେ ତେବେ ହିଁ କରିପାରିବା ଯେବେ ଆମ ମଧ୍ୟରେ ଏକତା ଥିବ । ଆଉ ଏହି ଏକତା ବଜାୟ ରଖିବା ପାଇଁ ଜରୁରୀ ଯେ ଆମ ମଧ୍ୟରେ ପ୍ରେମ ରହୁ, ସେହି ପ୍ରେମ ଯାହା “ଏକତାରେ ଏକାଠି ବାନ୍ଧି ରଖେ ।”—କଲ. ୩:୧୪, ଇଜି-ଟୁ-ରିଡ୍ ଭର୍ସନ; ଫିଲିପ୍. ୨:୧, ୨.
ଗୀତ ୧୩୦ ଦିଲ୍ ସେ ମାଫ୍ କରେଁ
a ଭାଇଭଉଣୀମାନଙ୍କ ପାଇଁ ପ୍ରେମ ଦେଖାଇବା ଆଗ ଅପେକ୍ଷା ଆଜି ବହୁତ ଜରୁରୀ ଅଟେ । ତାହା କାହିଁକି ? ଆଉ ଆମେ ପରସ୍ପରକୁ ଆହୁରି ପ୍ରେମ କିପରି କରିପାରିବା ?